Unknown

 

 

 

 

 

 

 

 

 

 

କେତୋଟି ଓଡ଼ିଆ କବିତା

ନୀଳମାଧବ ପାଣିଗ୍ରାହୀ

 

ସୂଚୀପତ୍ର

 

ବିଷୟ

.

ଓଃ ତାଜ୍‌!

.

ମୃତ୍ୟୁ ହେ! ତୁମେ ଠିକ୍‌ ସେଇବେଳେ!

.

ଚୂର୍ଣ୍ଣିତ ତାଜ୍‌, ଅଦୃଶ୍ୟ ମମତାଜ୍‌ !

.

ବାରି ଶେଷ, ପିପାସା ଅଶେଷ

.

ତୃତୀୟ ସାମ୍ବତ୍ସରିକ ସ୍ମରଣିକା - ୧୯୮୫

 

ବିଷୟକ୍ରମ

 

୧। ଓଃ ତାଜ୍‌ ...

୨ । ମୃତ୍ୟୁ ହେ ! ତୁମେ ଠିକ୍‌ ସେଇବେଳେ !

୩ । ଚୂର୍ଣ୍ଣିତ ତାଜ୍‌, ଅଦୃଶ୍ୟ ମମତାଜ୍‌ !

୪। ବାରି ଶେଷ, ପିପାସା ଅଶେଷ

୫। ତୃତୀୟ ସାମ୍ବତ୍ସରିକ ସ୍ମରଣିକା, ୧୯୮୫

 

ଓଃ ତାଜ୍‌!

 

ଦୁନିଆଁରୁ ତୁମେ ନେଇଚ ବିଦାୟ ସଖି !

ବିଦାୟ ଆଗରୁ ଦେଲ ନାଇଁ ଶେଷ ଦେଖା,

ଭୁଲିଗଲ ଏକା ଏକା,

ଏକା କରି ମୋତେ ଏପାରେ ଦେଉଚ ରଖି,

ଜାଣିପାରୁ ନାହିଁ, କି ଥିଲା ତୁମର ଅନ୍ତିମ ଅଭିଳାଷ,

ରହିଗଲା ପରା ଉହ୍ୟ, ଅପ୍ରକାଶ !

ତୁମ ସ୍ମୃତି ଲାଗି କଅଣ ଗଢ଼ିବି ରାଣୀ !

ଭାବୁଅଛି ବସି, ସହଜେ ପାରୁନି ଜାଣି ।

ହୃଦୟବାସିନୀ ! ମୋ ମନର ସୁଲ୍‌ତାନୀ !

ମନେପଡ଼େ ଆମ ଇତିହାସେ ଅଛି ପରା?

ତେବେ ଠିକ୍‌ ଠିକ୍‌ ଜାଣେ ନାଇଁ ସେ କାହାଣୀ

କେତେ ସତ୍ୟ ଆଉ କେତେ ଝୁଟ୍‌ଭରା ।

ଏ ଭାରତେ ପରା ଥିଲେ ବାଦ୍‌ଶାହା ଜଣେ

ନାଁ କରିଥିଲେ ଖୁବ୍‌ ସୌଖୀନ୍‌ ପଣେ,

ଗୁଲାବି ଗାଲ୍‌ରେ ଗୁଲ୍‌ ଅତରରେ କରୁଥିଲେ ଖୁବ୍‌ ପ୍ୟାର୍‌

ଆହୁରି ବହୁତ୍‌ ବିଳାସରେ ଥିଲେ ଶ୍ରେଷ୍ଠ ସେ ଦୁନିଆର୍‌

ପାଗଲ୍‌ ମୋଗଲ୍‌ ରାଜ୍‌

ସାହାଜାହାନ ସେ, ଚିପୁଡ଼ି କହିଲେ, ‘ସାଜ୍‌’

ମମ୍‌ତାଜ୍‌ ବୋଲି କିଏ ଜଣେ ଥିଲେ ନାରୀ,

ବିବି ଥିଲେ ସେହି ସାହାଜାହାନ୍‌ର, ଥିଲେ ପରା ଖୁବ୍‌ ପ୍ୟାରି,

ଭଲ ପାଉଥିଲେ ତାଙ୍କୁ ପରା ସେ ଭାରି ।

ବିବି ସର୍‌ତାଜ୍‌

ସେଇ ମମ୍‌ତାଜ୍‌ ଦିନେ ଝଡ଼ିଗଲେ ତଳେ,

ମରି ପଡ଼ି ହେଲେ ଖାକ୍‌,

ଦୁଃଖେ ବିଗିଡ଼ି ଗଲା ପରା ସେଇ ସାହଜାହାନ୍‌ର ଦିମାକ୍‌ ।

ସାଜ୍‌ ଭିଜିଗଲେ ଗରମ୍‌ ଆଖିର ଜଳେ

ବିରହ ବ୍ୟଥାରେ ପାଗଲ୍‌, କି ନିର୍ବାକ୍‌,

ହୋଇଗଲେ ସାଜ୍‌ ମାତ୍ର ଦି’ଦିନ ଲାଗି,

ଶୋଇଗଲେ ସାଜ୍‌ ମଖମଲି ଶେଯେ,

ମହାଦର୍ପରେ ତାପରେ ଉଠିଲେ ଜାଗି ।

ନିଜର ଖାତିର୍‌ ମୋଗ୍‌ଲାଇ ଖାନ୍‌ଦାନ୍‌

ଜାହିର୍‌ କରିବେ ଦୁନିଆଁରେ ସାହାଜାହାନ୍‌

ଦୁନିଆଁ ତାଙ୍କୁ ମନେ ରଖିଥିବ ବୋଲି,

ସାଜ୍‌ ଦେଇଥିଲେ ବିରାଟ୍‌ ମହଲ୍‌ ତୋଲି

ଆଗ୍ରା ନାମକ ନଗ୍ରେ

ନିଜ ନାସିକାର ଠିକ୍‌ ଅଗ୍ରେ,

ନଜରବନ୍ଦୀ ସାଜ୍‌ ଚାହୁଁଥିଲେ ହର୍‌ଦମ୍‌ ଆଖି ଖୋଲି,

ଗର୍ବରେ ବୋକା ସାଜ୍‌ର ବୁକୁଟି ଉଠୁଥିଲା ପରା ଫୁଲି!

ମର୍ମରଶିଳା ରଚିତ ମହଲ୍‌!

ଖଚିତ୍‌ ବହୁତ୍‌ ହୀରାନୀଳା ପୋଖରାଜ୍‌!

ମର୍ମ ଦରଜ୍‌ ହରିଲା ତାଙ୍କ

କେଡ଼େ ନିର୍ମମ ନିର୍ଲଜ ଥିଲେ ସାଜ୍‌ !

ମମତାଜ୍‌କୁ ସେ ସହଜରେ କେତେ ଜଲ୍‌ଦି ପାରିଲେ ଭୁଲି !

ସାରା ଦୁନିଆଁରେ ପଡ଼ିଲା ଚମକ୍‌ ଚହଲ୍‌!

କ୍ୟା ବାତ୍‌! ସାବାସ୍‌ ! କେଡ଼େ ତୋଫା ତାଜ୍‌ମହଲ୍‌!

ଇତିହାସ କହେ, ମମତାଜ୍‌ ଲାଗି ନିଜ କଲିଜାର ଖୁନ୍‌,

ଢ଼ାଳିଦେଲେ ସାଜ୍‌, ଖଜଣାଖାନା ତ ଝାଡ଼ିଦେଇ କଲେ ଶୂନ୍‌

ସଜ୍ଜିତ କଲେ ମୋଗ୍‌ଲାଇ ସାଜେ,

ରଙ୍ଗୀନ୍‌ କଲେ ବୋଲି ଢ଼ୋଲ ବାଜେ

ଓଃ ! ଗୀତଗୋବିନ୍ଦର ସାଙ୍ଗୀତିକ ଦିଗ୍‌ଦର୍ଶନ କି ଚମତ୍କାର୍‌ !

ମମ୍‌ତାଜ୍‌ ଲାଗି ଆସ୍‌ମାନ୍‌ ପରି ଉଚ୍ଚା ସାଜ୍‌ର ପ୍ୟାର !

ଇତିହାସ ଏ ଖାଲି ଖୋସାମଦ୍‌, ତୁଚ୍ଛା ଝୁଟ୍‌, ବେକାର୍‌ ।

ମମତାଜ୍‌ ନାଁ ଭୁଲି ଯିବେ କାଳେ ନ ପଡ଼ିବ ୟାଦ୍‌

ସେଥିପାଇଁ ସିନା ସାହାଜାହାନ୍‌ କଲେ

ଗରିବ ପ୍ରଜାର ଲାଖ୍‌ କୋଟି କୋଟି ଦୌଲତ୍‌ ବରବାଦ୍‌,

ନାଲାଏକ୍‌ ସାହାଜାହାନ୍‌

ଗରିବର ଲୁହ ମଜଦୁର ଲହୁ, ଦୀନ ଦୁଃଖିର ଜାନ୍‌

କଲେ ଯାହା ଲୋକସାନ୍‌ !

ସେଟା କି ଅସଲି ଖାଁଟି ମୋହବତ୍‌ ? ମୋ’ ପ୍ୟାର ପରି ପ୍ୟାର୍‌ ?

ନୁହେଁ ନୁହେଁ ଖାଲି ନକ୍‌ଲି, ନାଦାନି,

ଖାଲି ଏକ୍‌ବାର୍‌ ବେକାର ଜାପାନୀ

ଗରିବ ପ୍ରଜାର ମହଙ୍ଗା ଧନର ଶସ୍ତା ସେ କାର୍‌ବାର୍‌ !

ତଥାପି କିପରି, ଜାଣେ ନାଇଁ ସହଚରୀ !

ସେ ତାଜ୍‌ ମହଲେ ଖୁବ୍‌ ଖୋସାମଦ୍‌ କରି,

ବଙ୍ଗର ବଡ଼ ଚାକ୍‌ରିଆ କବି ଶ୍ରୀମାନ୍‌ ଡ଼ି:ଏଲ୍‌. ରାୟ

‘ପ୍ରସ୍ତରୀଭୂତ ପ୍ରେମାଶ୍ରୁ’ ବୋଲି କଲେ ବୃଥା ହାୟ ହାୟ !

ବିସ୍ମିତ ହୁଏଁ, କେଜାଣି କାହିଁକି ଟାଗୋର୍‌ ବି ଲେଖିଗଲେ,

‘କାଲେର୍‌ କପୋଲ୍‌ ତଲେ......

ଆଉ କେତେ କେତେ ବଡ଼ ବଡ଼ କଥା ଦେଖାଇ କାବ୍ୟକଳା କୁଶଳତା

ସାହାଜାହାନର ବାହାବାବହୁଳ ତୁଙ୍ଗ ତାରିଫ୍‌ କଲେ ।

ରବୀନ୍ଦ୍ରନାଥ ଚରଣରେ ନମୋନମ,

ବିଶ୍ୱକବି ସେ, ମୋର କବି ପ୍ରିୟତମ,

ତାଙ୍କୁ ସଲାମ୍‌ ଠୁଙ୍କି କହୁଚି, ସିଏ ମିଶେ ଠକିଗଲେ ।

ବଡ଼ କବିଙ୍କୁ ଅପମାନ କଲି, ରାଗୁଚ କି ତୁମେ ସଖି ?

କହୁଅଛି ତେଣୁ ମହତ୍‌ର ମାନ ରଖି,

ସାଜ୍‌ ଫିଟାଇଲେ ପାଷାଣର ବୁକେ କାନ୍ତ କରୁଣ ସୁର୍‌

ତାଜ୍‌ମହଲଟି ପ୍ରେମର ପଶାଣି ରୁବାଇରାଜିର କୋଠା ଆସ୍‌ମାନି,

ପ୍ରେମୀ ଦରବାରେ ସାଜାହାନ୍‌ ବାହାଦୁର୍‌ !’

ହାୟ ସଖି ! ମୁଁ ଗୋ ନୁହେଁ ମହାସମ୍ରାଜ୍‌

ତୁମେ ସିନା ଥିଲ ମୋ ହୃଦର ସୁଲତାନୀ,

ତୁମ ସ୍ମୃତିଲାଗି ତୋଳିବିନି ମହାତାଜ୍‌ ।

ମୁଁ ପରା ଜଣେ ଖୁବ୍‌ ବଡ଼ ଓସ୍ତାଜ୍‌ !

ତୁମେ ଗଲାପରେ ତପ୍ତଶୋକରେ ଶୁଖିଥାଉଁ ପଛେ ପ୍ରୀତିର ଭୋକରେ

ଗଳାରୁ ମୋହର ସବୁ ମଧୁର ଆବାଜ୍‌ !

ପରବାୟ୍‌ ନାଇଁ, ସୁର୍‌ ସିନା ଗଲା ରହିଚି, ରହିଚି ବାଣୀ

ବାଣୀ ସାଜେ ମୁହିଁ ଖୁବ୍‌ ବଜାଇବି,

ରାଣୀ ଗୋ ! ତୁମକୁ ଖୁବ୍‌ ସଜାଇବି

ତୁମ ନାମ ରୂପ ରାଗେ ରଂଜାଇଁ

ସମଝଦାରର୍‌ ମନ ମଜ୍ଜାଇ

ବଜାଇ ଚାଲିବ ସଖି ! ତୁମ ମହାଯାତ୍ରାର ମୁଲ୍‌ତାନୀ,

ଅସ୍ତକାଳୀନ ମସ୍ତ୍‌ କରୁଣ ଟ୍ରାଜେଡ଼ିର୍‌ ସିମ୍ଫନୀ,

ତୁମ ଦେହ ମନ ସମାନ ନରମ୍‌, ମୋ’ପରି ମରଦାନୀ !

ୟାଦ୍‌ କରୁଥିବି ଜିନ୍ଦଗୀଭର୍‌

ନା, ନା, ମୋର ମାଟିର କବର୍‌ -

ତଳେ ବି ତୁମେ ଗୋ ରହିଥିବ ମନେ, ରାଣୀ !

କେହି ଗୋ କାହାକୁ କେବେହେଲେ ଭୁଲିବାନି ।

ମାଗୁଛିଁ କୃଷ୍ଣ ଖ୍ରୀଷ୍ଟ ଆଲ୍ଲା ପାଖେ

କେବଳ ସେତିକି ଟିକିଏ ମେହର୍‌ବାନି !

- କବର୍‌ଲିପି -

ଅବିରତ ସଖୀ ! ବାଜୁ ଥାଉ ଆମ

ଯୁଗଳ ପ୍ରାଣର ପ୍ରୀତି-ଅଭିରାମ

ଅନାହତ ନାଦ, ଐକ୍ୟତାନିକ ନୀରବ ପାଞ୍ଚଜନ୍ୟ,

ଶୁଭୁଥାଉ ମହାକାଳର ଶ୍ରୁତିରେ

ଅସୀମ ଅଶେଷ ଅସିତ ରାତିରେ

ସେ ସୁର୍‌ ସେ ଶ୍ରୁତି ସେଇ ମୂର୍ଚ୍ଛନା ଅମୃତ ଓଁ ଅନନ୍ୟ ।

ପ୍ରିୟର ଆତ୍ମା, ପ୍ରିୟାର ଆତ୍ମା ହେଉ ଏକାତ୍ମ, ହେ ପରମାତ୍ମ ଧନ୍ୟ !

 

* ପରିଣତ ବୟସରେ ପ୍ରିୟତମା ପତ୍ନୀଙ୍କୁ ହରାଇ ଶୋକରେ ମୁହ୍ୟମାନ ଓଡ଼ିଶାର ଜଣେ ସୁଧୀ କଳାବିତ୍‌ଙ୍କର ଏହା ଏକ ଅଶ୍ରୁଳ ଆତ୍ମଲିପି । ‘ଓସ୍ତାଜ୍‌ ଖୁସ୍‌ରୋ’ ଛଦ୍ମ ନାମରେ ତାଙ୍କର ଏ ହି କବିତାଟି ପ୍ରକାଶିତ ହେଲା ।

 

ମୃତ୍ୟୁ ହେ! ତୁମେ ଠିକ୍‌ ସେଇବେଳେ!

 

ଆକାଶରୁ ଯେବେ ପୋଛି ଯାଏ ଯେତେ କଳୁଷ କଳା ମେଘ,

ଶରତର ଯେତେ ଫୁଲ ଓ ଫସଲ ଆସୁଥାଏ ଫୁଟି ଫୁଟି,

ଜୀବନ-ସିନ୍ଧୁ ସ୍ୱଚ୍ଛ ଯେତେ ହେ ରହିତ-ବ୍ୟଗ୍ରବେଗ,

ମୃତ୍ୟୁ ହେ ! ତୁମେ ତସ୍କର ସମ କେଉଁ ଶୂନ୍ୟରୁ ଉଠି

ଠିକ୍‌ ସେଇବେଳେ ଜୀବନଫସଲ୍‌ ସବୁ କିଆଁ ନିଅ ଲୁଟି ?

ଜୀବନ ଦ୍ୱନ୍ଦ ହୋଇଚି ବନ୍ଦ, ସ୍ତୀମିତ ଅଥବା ଶେଷ,

ବେନି ନରନାରୀ ସଂଗ୍ରାମ ସାରି, ବିହଗ ବିହଗୀ ସମ

ତମସାର ତୀରେ ସମାଧାନ ଧୀରେ, ଶାନ୍ତ ବିଗତ କ୍ଳେଶ,

ଠିକ୍‌ ସେଇବେଳେ କ୍ରୌଞ୍ଚମିଥୁନ ଭାଙ୍ଗି, ପିଶୁନତମ !

ନେଲ ବଳାକାକୁ ବିଷବୋଳା ତୀରେ ହିଂସ ନିଷାଦ, ଯମ !

ଯୁଗଳ ଯାତ୍ରୀ ଦିବସ ରାତ୍ରି ଗମି ଦୁର୍ଗମ ରାହା

ଉପଗତ ଶେଷେ ପ୍ରାନ୍ତର ଦେଶେ, ପଥର ପ୍ରାନ୍ତଭାଗେ ।

ଯୁଗ୍ମର ଫଳ ଦେଖି ଛଳ ଛଳ ନେତ୍ରଯୁଗଳ ଯାହା

ହୁଏ, କେବେ ଥରେ ଅଧେ ବା ଅଧିରେ ପ୍ରୀତିପୂତାଧର ଲାଗେ,

ମୃତ୍ୟୁ ହେ ! ସେବେ ବିଶ୍ଳେଷ ତୁମେ ଘଟାଅ କି ଘୋର ରାଗେ ?

ଜୀବନର ଯେତେ କାମନା ବାସନା, ଉଦଗ୍ର ଯେତେ ଆଶା,

ଦୁର୍ଦମ ଯେତେ ବିଦେହର ଦାହା ସବୁ ଯେବେ ପ୍ରଶମିତ,

ଅବଶେଷ- ଖାଲି ପ୍ରୀତି ପୁରାଣର ନୃତନ ପ୍ରାନ୍ତଭାଷା,

ଏକାନ୍ତେ ଟିକେ ହାତ ଧରାଧରି, ଅଥବା ମୌନ ଗୀତ,

ସୁରଭି ଶୁଭ୍ର-ଧୌତ ପ୍ରେମର ନିର୍ଯସ, ନବନୀତ !

ମୃତ୍ୟୁ ହେ ! ତୁମେ ଠିକ୍‌ ସେଇବେଳେ ! ଶୟତାନ ତୁମେ, ପାଜି !

ଯୁଗଳଜୀବନ ସାର୍ଥକ ରାଜି ବ୍ୟର୍ଥ କରିଚ ଆଜି,

ବଳାକାହନ୍ତା ! ଅନ୍ତକ ! ମୋର ସୁଖ ନୀଡ଼ ଦେଲ ଭାଜି !

 

ଚୂର୍ଣ୍ଣିତ ତାଜ୍‌, ଅଦୃଶ୍ୟ ମମତାଜ୍‌ !

 

(୧)

ଏ କି ସପନ ଭୋଜବାଜି ? ଅବା ବାସ୍ତବ ଦେଖା ଆଜି

ପାଉଛିଁ ତୁମର ପୁଣି ଥରେ ? ଆଗୋ ସ୍ୱର୍ଗତା ସହଚରୀ !

ପ୍ରଥମ ଦେଖାରେ ଆସିଥିଲ ଯେଉଁ ବେଶ ଶୃଙ୍ଗାର ସାଜି

ସେଇ ରୂପେ ତୁମେ ଅଗ୍ରତେ ମୋର ଉଭା ସ୍ୱର୍ଗର ପରୀ !

 

(୨)

ଏଥର ବି ତୁମେ ଶଯ୍ୟାରୁ ମୋର ଦୂରେ ଠିଆ କେଉଁ ଭୟେ ?

ଯେତେ ମୁଁ କାତରେ କହୁଛିଁ ‘ମୋ ପରେ କମଳ ଦୃଷ୍ଟି ଦିଅ’

ସେତେ ଆବୃତ କରୁଚ ଲପନ ବେନିକରକିସଲୟେ !

ଏଇ ଯେ ! ଦେଖୁଛିଁ ପ୍ରତି କରରୁହେ ଖଚିତ ଅଙ୍ଗୁରୀୟ !

 

(୩)

ଦେଖି ମନେପଡ଼େ ପ୍ରଥମେ ଯେ ଦିନ ଠିଆ ହେଲ ମୋର ଆଗେ

ଲଜ୍ଜିତ ଭାବେ ସଜ୍ଜିତ ରୂପେ ବଧୂ ମୋର ଅଭିନବ !

ଦିଗ୍‌ବଧୂ ମୁଖମଣ୍ଡଳ ତବ ନବଜବାରୁଣ ରାଗେ

ରଞ୍ଜିତ ହେଲା, ସଙ୍କୋଚେ ତୁମେ ଚାରୁକରପଲ୍ଲବ-

 

(୪)

ଆବୃତ କରି ରଖୁଥିଲ ମୁଖ, ଆଜି ବି ରହିଚି ମନେ

ପଞ୍ଚାଙ୍ଗୁଳି ଚମକୁ ଥିଲା ଯେ ହୀରକ ମୁଦ୍ରିକାରେ,

କରବିଖଚିତ-ପଞ୍ଚରତ୍ନ- ବଳୟର ମଧୁସ୍ୱନେ

ମୌନ ବାସରଗୃହ ମୁଖରିତ କରୁଥିଲ ବାରେ ବାରେ ।

 

(୫)

ଅଭୁଲା ସେ ଆମ ପ୍ରଥମ ମିଳନ ଦୃଶ୍ୟର ଅଭିନୟ

ଯୁଗଳଜୀବନେ ତୃଷିତନୟନ ଆଉ କେବେ ଦେଖିନାହିଁ,

ସେଇ ଦୃଶ୍ୟ ଗୋ ଆଜି ପୁଣି ଦେଖି ଅନ୍ତରେ ଜାଗେ ଭୟ,

ମୋତେ ବିସ୍ମରି ସତେ ଅପ୍‌ସରୀ ହେଲ କି ସ୍ୱର୍ଗେ ଯାଇ ?

 

(୬)

ଦୃଷ୍ଟି ମିଶାଅ ମୋ ନୟନ ସାଥେ, ଖୋଲିଦିଅ ସଖି ମୁଖ,

ଏ କି ଦେଖେଁ! ମୁଖନଳିନ ତୁମର ମଳିନ କାହିଁକି ଦିଶେ ?

ଏତେ ଦିନେ ଦେଖା, ତଥାପି କାହିଁକି ନୀରବ ନିରୁତ୍ସୁକ ?

ତୁମେ ଅଛ ଏବେ ସୁଖରେ ସ୍ୱର୍ଗେ, ଦୁଃଖ ତୁମର କି ସେ ?

 

(୭)

“ଅଛି ମୁଁ ସୁଖରେ ? କହିଲଣି ଖୁବ୍‌, ଲଜ୍ଜା ଦିଅନି” ଆଉ,

ଏତେ ପାଠ ପଢ଼ି ପଣ୍ଡିତ ତୁମେ ନାଆଁକୁ ବୋଲାଅ ସିନା

ପାରିଲନି’ ବୁଝି ମନକଥା ମୋର ସରିଲା ପଛେ ମୋ ଆୟୁ,

ନାରୀର ମରମତଳ କଥା କେହି ବୁଝେ ନାହିଁ ନାରୀ ବିନା !

 

(୮)

ଶୁଣି, କରୁନି ମୁଁ ଆମର ପ୍ରଥମ ମିଳନର ଅଭିନୟ,

ଜୀବନପୋଥିର ସେଇ ପୃଷ୍ଠାଟି ବଡ଼ ନୁହେ ମୋ ପାଇଁ,

ତୁମ ମନେଅଛି ବୋଲି ଯେ କହୁଚ ଚାଟୁବାଣୀ ମଧୁମୟ

ଅଭିନୟ ତାହା କରୁଚ ତୁମେ, ମୁଁ ଅଭିନୟ ଜାଣେ ନାଇଁ,

 

(୯)

ନୁହେଁ ଅପସରୀ, ନର୍ତ୍ତକୀ, ଖାଲି ତୁମରି ଇଚ୍ଛାବଳେ

ନାଚୁଥିଲି ମୁହିଁ ଜୀବନରଙ୍ଗେ ସରଳା, ଅବଳା ନାରୀ

ତୁମ ବନ୍ଧେନ ରହିଥିଲି ମୁଁ ଯେ ତୁମ ବାହୁଛାୟା ତଳେ

ଥିଲି ମୁଁ ଗୃହିଣୀ, ସହଧର୍ମିଣୀ, ସାଜିଥିଲି ମନୋହାରୀ,

 

(୧୦)

ଗାଇଥିଲି ଗୀତ ପ୍ରଥମ ଜୀବେନ, ଭଲ ଲାଗୁଥିଲା ସତେ,

ତୁମ କଣ୍ଠରେ ମିଶିଲେ ଲାଗୁଥିଲା ପ୍ରିୟତର,

ପାଶୋରିଲି ସେଇ ବିଳାସ ଅଚିରେ, ଆଗେଇ ଜୀବନ ପଥେ

ଶୁଣିଲି ଯେବେ ମୁଁ ପ୍ରିୟତମ ମୋର ଶିଶୁସନ୍ତାନ ସ୍ୱର ।

 

(୧୧)

ଦେଇଛିଁ ତୁମକୁ ପାଞ୍ଚ ପୁତ୍ର-ରତନ ପାଞ୍ଚ ଝିଅ

ତାଙ୍କର ସବୁ ସନ୍ତାନ- ସେ ତ ଶାଖାପଲ୍ଲବ ମୋର

ତାଙ୍କରି କଥା ଜାଣିବାକୁ ପୁଣି ଆସିଛିଁ, ସେ ମୋର ପ୍ରିୟ

ତାଙ୍କରି ସ୍ନେହ ଭୁଲି ପାରୁନାହିଁ, ନିବିଡ଼ ମମତା ଡୋର ।

 

(୧୨)

ମାତୃହରା ସେ ସନ୍ତାନ ମୋର ଲାଗିଲେ ତୁମକୁ ଏବେ,

ବଡ଼ ଆଶାଥିଲା ଦେଖିବି ତାଙ୍କୁ ଆଉ କିଛିଦିନ ଲାଗି,

ପୋଡ଼ିଲା ସେ ଆଶା, ତାଙ୍କୁ ତୁମେ ଗୋ ହେଳା କରିବନି’ କେବେ

ଏତିକି ମିନତି-ବିଦାୟ-ତୁମେ ଗୋ ହେବ ନାହିଁ ବଇରାଗୀ ।”

 

(୧୩)

“ଯାଅନି ସଜନୀ ! ରହ ରହ ତୁମେ, କହ ତୁମ ସମାଚାର

ବହୁତ ଦିନରୁ ଆସିଚ ତ ଆଜି ତରତର ଏତେ କିଆଁ ?

ତୁମ ଦର୍ଶନେ ଘୁଞ୍ଚି ଯାଇଛି ମୋ ହୃଦୟର ବ୍ୟଥାଭାର,

ତୁମେ ଗଲେ ଚାଲି ଜାଳିଦେବ ମୋତେ ତୁମ ବିଶ୍ଳେଷ-ନିଆଁ !

 

(୧୪)

ଦୁଃଖୀ ତୁମର ପ୍ରିୟ ସନ୍ତାନ ଆଜି ଯେ ମାତୃହରା

ସେ କି ମୋର ନୁହ ? ମୋର ବି ତ ସବୁ ପ୍ରାଣର ବିତ୍ତ ସିଏ !

ତାଙ୍କରି ଲାଗି ରଖିଛିଁ ଏ ପ୍ରାଣ ହେଉ ପଛେ ବ୍ୟଥାଭରା,

ତଥାପି ଗୋ ତୁମ ସ୍ନେହର ସ୍ତନ୍ୟ ଦେଇପାରେ ଆଉ କିଏ ?”

 

(୧୫)

“ଶୁଣ ପ୍ରିୟତମ ! ମୋ ପାଇଁ ଦୁଃଖ କରନି’, ମୁଁ ପୋଡ଼ାମୁହୀଁ,

ବହୁତ ସହିଚ ମୋ’ ପାଇଁ ତୁମେ ଦୁଃଖ କଷଣ ଘୋର

ଦୁଃଖେ ଏକାକୀ ରହିଚ, ଦେଖୁଛିଁ, ରହିତ ପାରୁନି’ ମୁହିଁ,

ଦିଅ ହେ ବିଦାୟ, ଚିରଦିନ ଯାଏ ତୁମେ ମୋର ଅପାସୋର ।”

 

(୧୬)

ସୁରୁପା ଗୋ ! ହାୟ ! ନେଉଚ ବିଦାୟ ? ହେଉ ଗୋ, ଅରୂପା ହୁଅ,

ରହିଲି ମୁଁ ତୁମ ରୂପର, ପ୍ରେମର ଉଷ୍ଣତୃଷ୍ଣା ବହି

ପ୍ରାଣେ ପ୍ରାଣେ ମୋର ବହୁଥିବ ତୁମ ସ୍ମୃତିର ଫଲ୍‌ଗୁ ସୁଅ

ତହିଁରେ ମୁଁ ହେବି ଅବଗାହୀ ଚିରବିରହ ଦୁଃଖ ସହି ।

 

(୧୭)

ନଭେ ଉଠିଥିଲା ପୂର୍ଣିମା ତୁମେ ଶୁଭ ସ୍ନେହାଞ୍ଚଳ

ପ୍ରସାରି, ଆବରି ସାଗରସତ୍ତା ରଖିଲ ଜୋଛନାପାଶେ

ତନୁ ପ୍ରାଣ ତାର ଉଲ୍ଲାସେ କଲ ଚଞ୍ଚଳ ଢ଼ଳଢ଼ଳ

କ୍ରମେ ଅପସରି ଲୁଚିଗଲ ହାୟ ! କେଉଁ ଅଜ୍ଞାତବାସେ ?

 

(୧୮)

ସୁପ୍ତ ସାଗରବକ୍ଷ ଯେବେ ଗୋ ଜୋଛନା ପରଶ ପାଏ

ପୁଲକ ଜୁଆରେ ନାଚେ ଫୁଲି ଫୁଲି, ଢ଼େଉରେ ଉଠଇ ଢ଼େଉ,

ଜୋଛନା ହଜିଲେ ଆସେ ଅମାନିଶା, ତଥାପି ସେ ନାଚୁଥାଏ,

ତମସାପିହିତ ଅନ୍ତର ତାର ବୁଝଇ କି ଆନ କେହୁ ?

 

(୧୯)

ମୋ ଜୀବନେ ସଖି ! ଆମରଣ ଘୋର ଅମା ଅନ୍ଧାର ନିଶି

ଘୋଟିଚି, ତଥାପି ବାହାରେ ବାହାରେ ନାଚେ ମୁଁ ପୂର୍ବ ପରି,

ପରିବାର, ପ୍ରିୟ ପରିଜନ ମେଳେ ଉପରେ ଉପରେ ମିଶି,

ରହିଛିଁ, ଭିତରେ ଘୋର-ଦୁଃଖର ସାଗର-ଧର୍ମ ଧରି ।

 

(୨୦)

ଶୁଣି ଯାଅ ସଖି ଶେଷ କଥାଟିଏ ଉଦ୍‌ଗାରେ ମୋର ହିଆ

ଜୀବନର ଏକ ପରମ ଗୋପନ ଚରମ ସତ୍ୟବାଣୀ,

‘ହୃଦରେ ତୁମେ ଗୋ ପୂର୍ଣଜନନୀ ଅଧରେ କେବଳ ପ୍ରିୟା’

ତଥାପି ,ମିନତି କରୁଛିଁ, ଜନମେ ଜନମେ ହୃଦୟରାଣୀ ।

 

(୨୧)

ହେଉଥିବ ମୋର ତୁମେ ଗୋ କନକଚମ୍ପକ ଦାମ ଗୋରି !

ଚିର ଅମ୍ଳାନ ରହିବ, ଲୋତକ-ଧୌତ-ସ୍ମୃତିରେ ମମ,

ଆମରଣ ତୁମ ସ୍ୱର୍ଗୀୟ-ରୂପସୁଧା କରୁଥିବ ଚୋରି

ବିରହପାତ୍ରେ ଭରି ପିଉଥିବି ତୃଷିତ ଚାତକ ସମ ।

ଯମୁନା କୂଳର ବିଜନ ବିପିନେ ବାଜ୍‌ ନହବତ୍‌ ସାଜ୍‌

ଚୂର୍ଣିତ ମୋର ସ୍ୱପ୍ନର ତାଜ୍‌, ଅଦୃଶ୍ୟ ମମତାଜ୍‌ । ।

 

ବାରି ଶେଷ, ପିପାସା ଅଶେଷ

 

“ଉଦ୍ଧଚ୍ଛୋ ପିଅଇ ଜଲଂ ଜହ ଜହ

ବିରଲଂଗୁଲୀ ଚିରଂ ପହିଓ

ପାବାଲିଆ ବି ତହ ତହ ଧାରଂ

ତିଣ୍ଢଇଂ ପି ତଣୁଏଇ ।”-ଗାଥାସପ୍ତଶତୀ

କେଉଁ ଏକ ପରଦେଶୀ ପାନ୍ଥଯୁବା ପଥପ୍ରପାଶେ

ପହୁଞ୍ଚିଲା ଆସି ତୃଷା ପ୍ରଶମନ ଆଶେ,

କହିଲା ସେ କ୍ଳାନ୍ତକଣ୍ଠେ, “କିଏ ଅଛ, ଦିଏ ଟିକେ ପାଣି

ଏକୁଟିଆ ଚାଲି ଚାଲି ତୃଷା ମୋର ପ୍ରବଳ ହେଲାଣି ।”

ଶୁଣି ପାନ୍ଥ ଯୁବକର କାତର ମାଗୁଣି

ପୂର୍ଣ୍ଣକୁମ୍ଭକରା ଏକ ସ୍ମିତାଧରା ରୂପସୀ ତରୁଣୀ

ବାହାରି ହୋଇଲା ଉଭା ପାନ୍ଥଯୁବା ପାଶେ

କହିଲା କୋମଳ କାନ୍ତ ଗଦଗଦ ଭାଷେ,

ପାଣିପ୍ରାର୍ଥୀ ଆହେ କ୍ଳାନ୍ତ ଯାତ୍ରୀ !

ମୁହିଁ ଏକ ପାତ୍ରୀ,

ମୋର ଆନ ପାତ୍ର ନାହିଁ, ତୁମର ତ ପାନପାତ୍ର ନାହିଁ

ଯୁକ୍ତକର ହୁଅ ତୁମେ, ହୁଅ ପାଣିଗ୍ରାହୀ,

ଦେବି ତୁମ କରେ ମୁହିଁ ପାଣି

ତୃଷା ଆଉ ନ ପାରିବ ଜାଣି ।”

ତୃଷାତୁର ଯୁବା ଶୁଣି ତରୁଣୀର ବାଣୀ

କୋରକିତ କରି ବେନି ପାଣି

ବସିଲା ତନ୍ୱୀର ସ୍ନିଗ୍‌ଧ ଦେହଛାୟା ତଳେ

ବଶୀଭୂତ ହେଲା ପରି ଗୁପ୍ତ ମନ୍ତ୍ରବଳେ

ଅଧରେ ଅଞ୍ଜଳି ଯୋଖି ଅନାଇଲା ତରୁଣୀର ମୁଖେ

ନିଷ୍ପଲକ ଉର୍ଦ୍ଧ୍ୱନେତ୍ରେ, ଆଉ ଏକ ତୃଷା ବହି ବୁକେ ।

ଯାଚନାରଞ୍ଜିତ ତାର ଓଷ୍ଠଲଗ୍ନ କମ୍ପ୍ର କର ଯୁଗ୍ମ

ଦିଶୁଥିଲା ସତେ କି ସେ ଧନୁଲଗ୍ନ ପୁଷ୍ପଶର ଯୁଗ୍ମ ।

ରଭସଚଞ୍ଚଳ ପାନ୍ଥ ଯୁବକର କୋରକିତ କରେ

ଅବିରଳ ପୂର୍ଣ୍ଣ ପ୍ରବାହରେ ନତଗାତ୍ରୀ ଢାଳୁ ଅଛି ଶୀତ ବାରିଧାରା,

ଯୁବାନେତ୍ର ପଥଚାରୀ ତା ନୟନତାରା ।

ଉତ୍କଣ୍ଠ ଯୁବକ ତା’ର ଚାରୁ ଚନ୍ଦ୍ରମୁଖ ଚାହିଁ ଚାହିଁ

ପିଉଛି କଅଣ ? କିଆଁ

ପିପାସାର ନିଆଁ

ଜଳୁଚି ଆହୁରି ସିନା ଲବେ ଲିଭୁ ନାହିଁ?

ଶିଥିଳ କାହିଁକି ତାର ତୃଷିତ ଅଞ୍ଜଳି

ଯେତେ ଜଳ ପଡ଼େ ସେତେ ଯାଏ କିଆଁ ଗଳି ?

ବୁଝିଲା ମରମ ତାର ସେ ପ୍ରପାପାଳିକା

ବୁଜିଲା ତରୁଣ ତୃଷା ତୃଷାତୁରୀ ଚତୁରୀ ବାଳିକା

ଜଳଧାରା କଲା ତହୁଁ ଧୀର, କ୍ଷୀଣତର,

ଚିରାୟତ ହେବ ବୋଲି ଦୃଷ୍ଟି ପରସ୍ପର ।

ଅଚିରେ କୁମ୍ଭର ବାରି ହେଲା ଶେଷ, ବିନ୍ଦୁ ମାତ୍ର ନାହିଁ,

ଦୁହିଙ୍କର ତୃଷା କିନ୍ତୁ ସୀମାହୀନ ସପ୍ତସିନ୍ଧୁ ପାୟୀ,

ଦୁହେଁ ତେଣୁ ରହିଗଲେ ଯୁଗଯୁଗ ଦୁହିଙ୍କୁ ଅନାଇଁ ।

 

ତୃତୀୟ ସାମ୍ବତ୍ସରିକ ସ୍ମରଣିକା - ୧୯୮୫

 

ତିନିବର୍ଷ ଯାଇଅଛି ବିତି,

ପୁଣି ଆଜି ଆସିଅଛି ସେଇ ଲଗ୍ନ, ମହାକାଳ ତିଥି,

ସେଇ ଶିବରାତ୍ରି,

ତୁମେ ଯେବେ ହୋଇଥିଲ ସୁଦୂରର ପୁଣ୍ୟଶୀଳ ଯାତ୍ରୀ ।

ମୋର ପାଞ୍ଚ ପ୍ରିୟପୁତ୍ର ପାଞ୍ଚ ପ୍ରିୟକନ୍ୟାଙ୍କ ଜନନୀ,

ସମସ୍ତଙ୍କ ନୟନର ମଣି !

ପୁଣ୍ୟବତୀ ! ମୋ ଜୀବନ ପରମସଙ୍ଗିନୀ !

ଜୀବନ ସନ୍ଧ୍ୟାରେ ମୋର କନିଷ୍ଠା ଭଜିନି !

ଆଜିର ଏ ଶିବରାତ୍ରି ପବିତ୍ରବାସରେ,

ଉପବାସେ, ଉଦାସରେ,

ଚାଲିଗଲ ତୁମେ କାହିଁ ଏକା, ଏକା, ଏକା

ଲୁକିଦେଲ କାହିଁ, ଥରେ ଦେଉନାହିଁ ଦେଖା ।

ନିଜକୁ କେବଳ ମୁହିଁ ଭୁଲାଇବା ଆଶେ

ଭାବୁଥିଲି ତୁମେ ଆମ ସମସ୍ତଙ୍କ ପାଶେ

ଅଲକ୍ଷିତେ ରହିଅଛ ସଦା,

କିନ୍ତୁ ହାୟ !

ତୁମେ କେବେ ଘାୟ

ଠେଲିଦେଇ ମହାଶୂନ୍ୟ ଅଦୃଶ୍ୟ ପରଦା,

କୋମଳ ସୁଧୀର ତୁମ ନମ୍ର କମ୍ର ହାତେ,

ଆସୁନାହିଁ ମୃଦୁ ପଦପାତେ,

ସୁହାସିନୀ ! ସନ୍ନିଧେ ଆମର,

ବ୍ୟାକୁଳେ ଡ଼ାକିଛୁଁ ଆମେ ବହୁବାର ବହୁଥର

ଉଚ୍ଚେ ତୋଳି ଅନ୍ତରର ଶବ୍ଦହୀନ ସ୍ୱର ।

ଶୁଣିଛ କି ତୁମେ ସେଇ ଆହ୍ୱାନ କାତର ?

ନୀରବ କାହିଁକି ତେବେ ? କାହିଁକି ଉଦାସ ?

ଆସ, ଆସ, ଥରେ ଫେରିଆସ,

ଆଜି ପୁଣି ଡାକୁଅଛି ତୁମର ମୁଁ ଦାସ,

ଡାକୁଛନ୍ତି ତୁମ ପ୍ରିୟ ପୁତ୍ରକନ୍ୟା, ସବୁ ନାତି, ସମସ୍ତ ନାତୁଣୀ,

ପରିଜନ, ପଡ଼ା, ଗାଆଁ, ନୁରୁଛନ୍ତି, ଝୁରୁଛନ୍ତି ତୁମଗୁଣ ଗୁଣି ।

ମାଆ ତୁମେ, ଆଈ ତୁମେ, କାହାର ବା ମାମୁଁମାଆ, ମାଉସୀ କାହାର,

କା’ର ନାନୀ, କାହାର ବା ସ୍ନେହଶୀଳ, ସୁଶୀଳା ଭଉଣୀ,

ଗଢ଼ିଥିଲ ତୁମେ ଏକ ପରିବ୍ୟାପ୍ତ ସ୍ନେହୀ ପରିବାର,

ସ୍ନେହର, ସହାନୁଭୂତି- ମମତାର ଏକ ପାରାବାର ।

ସକଳେ ବିକଳେ ଏବେ ଅଭାବ ତୁମର

ଭୋଗୁଛନ୍ତି, ଦେଖୁଛନ୍ତି ଶୂନ୍ୟଆମ ଘର !

ପୁଣ୍ୟବତୀ ! ତୁମେ ମୋତେ ଅଜ୍ଞାତରେ ଦେଇ କେତେ ଭାର

ଏକା ଏକା ହୋଇଗଲ ପାର,

ଦୁସ୍ତର ସଂସାର ।

ଉଡ଼ୁଥିଲି ଆକାଶରେ

ନିଶ୍ଚିନ୍ତରେ, ବସନ୍ତରେ

ଶାଳ୍ମଳୀର ରୁଆ ପରି, ପ୍ରଭାତର ଶୁଆ ପରି ମୁହିଁ,

କିନ୍ତୁ ଅଶ୍ରୁସିକ୍ତ ତନୁ ମୋର ଆଜି ଭାରାକ୍ରାନ୍ତ ଜରାକ୍ରାନ୍ତ,

ମୁଁ ତଳିତଳାନ୍ତ, ତଳେ ଖସିପଡ଼ି ଲୋଟୁଅଛିଁ ଭୂଇଁ,

ଭଗ୍ନପକ୍ଷ ଛଟପଟ କ୍ଳାନ୍ତ ଆଉ ଶ୍ରାନ୍ତ, ଚିତ୍ତ ମୋର ଅବିଶ୍ରାନ୍ତ, ଚରମ ବିଭ୍ରାନ୍ତ;

ଜାଣେ ମୁହିଁ, ଜାଣଇ ଜଗତ,

ଆତ୍ମା ଅଟେ ଅବିନାଶି, ଅନନ୍ତ, ଶାଶ୍ୱତ,

ଜନ୍ମ ପରେ ମୃତ୍ୟୁ, ପୁଣି ମୁତ୍ୟୁ ପରେ ହୁଏ

ନବଗୃହେ

ନବଦେହେ ନୂତନ ଜନମ,

ନୂତନ ଜୀବନ ଶେଷେ ପୁଣି ଦୀନ ଜୀବ,

ଦିନେ କାହିଁ ହଜିଯିବ,

ଅଜ୍ଞାତ ରାଇଜେ ଯେବେ ଘେନିଯିବ କ୍ରୁର କାଳଯମ ।

ଦେହୀ ଲାଗି ଦେହସୁହା

ଏ ପ୍ରକ୍ରିୟା, ପୁରାତନ, ଅତିଜୀର୍ଣ୍ଣ, କୁହା,

ନୁହେ କିଛି ନୂଆ,

ତଥାପି ତ ପୁତ୍ରକନ୍ୟା, ପ୍ରାଣପ୍ରିୟ ସୁହୃଦ ସରବେ

ଢାଳିବେ ବିପୁଳ ଅଶ୍ରୁ ହାହାକାର ରବେ,

ଅଥବା ଅବ୍ୟକ୍ତ ଭାବେ, କୁହି କୁହି, ନୀରବେ ନୀରବେ !

ଅଶ୍ରୁ ଦେଇ ଅଶ୍ରୁକଥା, ହୃଦବ୍ୟଥା ହୋଇଯାଏ ଭୁଲି

ସେ ଅଶ୍ରୁରେ ଏ ଧରାର ରୁକ୍ଷ, ଶୁଷ୍କ, ପରିତପ୍ତ ଧୂଳି

ସିକ୍ତ ହୁଏ, ଶାନ୍ତ ହୁଏ, ସମାର୍ତ୍ତିର ସେଇ ଅଶ୍ରୁଜଳେ

ଧରାହୁଏ ଶସ୍ୟଶ୍ୟାମ, ଫୁଟେ ଫୁଲ, କେତେ ଫଳ ଫଳେ;

ପୁଣି ଚାଲେ କର୍ମ,

ଏ ଧରାର ମାନବର ଏତ ନିତ୍ୟ, ଲୋଭନୀୟ ଧର୍ମ ।

ଶୋକାଶ୍ରୁରେ ଧୋଇଯାଏ ଶତଶତ ଗ୍ଳାନି,

ମ୍ଳାନିମା, କଳୁଷ ଯେତେ ହୋଇଯାଏ ଛାଣି,

ସ୍ମୃତି ହୁଏ ଆହୁରି ଉଜ୍ଜ୍ୱଳ,

ଢଳ ଢଳ, ବିକଚ କମଳ ।

ଆଜି ଆମେଁ ସଭେ କରୁଁ ଅଶ୍ରୁର ତର୍ପଣ

ହୁଏତ ଦେଖୁଛ ତୁମେ ଶୂନ୍ୟେ ରହି; ତୁମ ଦେହ ମନ

ଚାହୁଁଥିବ ଆସି ପୁଣି ମିଶିବାକୁ ସମ୍‌କିରି ସଙ୍ଗେ,

ସହିବାକୁ ସବୁ କଷ୍ଟ ସଂସାରର ବିଷୟ ପ୍ରସଙ୍ଗେ,

ସହିବାକୁ ଆଗପରି ସମ୍‌କିରି ଅଳି,

ତୁମ ପ୍ରିୟତମ ପୁତ୍ର ପ୍ରଣତର ଶତ ଶତ ସହସ୍ର ଅର୍ଦଳି,

ଦୂରେ ଥାଇ ଘେନ ତା’ର, ସ୍ନେହନିଷ୍ଠ କନିଷ୍ଠଙ୍କ ନିର୍ବାକ୍‌ ପ୍ରଣତି,

ସମସ୍ତଙ୍କ ନମସ୍କାର, ଆଗୋ ପୁଣ୍ୟବତୀ ?

ଆଜି ମୋର ଆଉ କିଛି କହିବାର ନାହିଁ ।

ତିନିବର୍ଷ ଗଲାଚାଲି, ଆଉ କେତେ କାଳ ? କେ

ତେକାଳ ବୃଥା ଭାଳି ଭାଳି

ଖାଲି ଖାଲି ଏକ୍‌ଲା ଏକ୍‌ଲା ଆଉ

ତୁମ ପୁଣ୍ୟ ସ୍ମୃତିର ଚାରଣ-କବି ସାଜି

ରହିବିକି ମୁହିଁ ଆମରଣ ?

ଆଉ କେତେକାଳ ମୁଇଁ ଚାଲୁଥିବି ବୃଥା ଭାଳି ଭାଳି

ଖାଲି, ଖାଲି, ଖାଲି !